ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଲଗାଣ ବର୍ଷା, ଅନେକ ଜିଲ୍ଲାକୁ ସତର୍କ ସୂଚନା
ଭୁବନେଶ୍ୱର, ୫ ଜୁଲାଇ: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟା ଧରି ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ କେତେକ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ କିଛି ଜିଲ୍ଲାରେ ଭାରି ବର୍ଷା ଜାରି ରହିପାରେ। ତେବେ ୬ ଜୁଲାଇଠାରୁ ବର୍ଷାର ପ୍ରଭାବ ଧୀରେ ଧୀରେ କମିବାର ସମ୍ଭାବନା ରହିଛି।
ଅଧିକ ଖବର ପଢନ୍ତୁ :👉 ୧୫ ବର୍ଷରେ ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ, ଟିମ୍ ଇଣ୍ଡିଆ ପାଇଁ ସର୍ବକନିଷ୍ଠ ଡେବ୍ୟୁ
ପାଣିପାଗ ବିଭାଗ କହିଛି ଯେ, ୱେଲ୍ ମାର୍କଡ୍ ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହା ଉତ୍ତର ଓଡ଼ିଶା ଓ ଛତିଶଗଡ଼ ଦେଇ ସ୍ଥଳଭାଗକୁ ପ୍ରବେଶ କରିବା ପରେ ରାଜ୍ୟରେ ବର୍ଷାର ତୀବ୍ରତା କମିପାରେ। ତେବେ ଜୁଲାଇ ୧୧ କିମ୍ବା ୧୨ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ପାଣିପାଗ ଉପରେ ନଜର ରଖାଯାଇଛି।
ବରଗଡ଼, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୋନପୁର, ବଲାଙ୍ଗୀର ଓ କଳାହାଣ୍ଡିରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ରହିଛି।
ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ରାସ୍ତା ଜଳମଗ୍ନ ହୋଇଥିବା ବେଳେ କେତେକ ଗ୍ରାମର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କିଛି ଅଞ୍ଚଳରେ ନଦୀ ଓ ନାଳର ଜଳସ୍ତର ବଢ଼ିଥିବାରୁ ସ୍ଥାନୀୟ ପ୍ରଶାସନ ସତର୍କ ରହିବାକୁ ପରାମର୍ଶ ଦେଇଛି। ଭୁବନେଶ୍ୱର ସମେତ ବିଭିନ୍ନ ସହରରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି ଏବଂ କିଛି ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ଯୋଗୁଁ ଯାତାୟାତ ବ୍ୟାହତ ହୋଇଛି।
