ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂରକୁ ନେଇ ଦେଶର ରାଜନୀତିରେ ନୂଆ ବିବାଦ ଦେଖାଦେଇଛି। କଂଗ୍ରେସ ଅଭିଯୋଗ କରିଛି ଯେ, ଏହି ସାମରିକ ଅଭିଯାନ ସମୟରେ ବୀରଗତି ପ୍ରାପ୍ତ ୬ ଜଣ ସୈନିକଙ୍କ ସୂଚନା ସାର୍ବଜନୀନ କରାଯାଇନଥିଲା। ଦଳର ମତରେ, ଏହା କେବଳ ବୀର ଜବାନଙ୍କ ବଳିଦାନକୁ ଅଣଦେଖା କରିବା ନୁହେଁ, ବରଂ ସଂସଦକୁ ମଧ୍ୟ ଭ୍ରମିତ କରିବା ସଦୃଶ।
କଂଗ୍ରେସର ମିଡିଆ ବିଭାଗ ମୁଖ୍ୟ ପବନ ଖେରା ସୋସିଆଲ ମିଡିଆରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସଂସଦୀୟ ଭାଷଣର ଏକ ଭିଡିଓ ସେୟାର କରିଛନ୍ତି। ସେହି ଭାଷଣରେ ଅପରେସନ୍ ସିନ୍ଦୂର ସମୟରେ ଭାରତୀୟ ସେନାର କୌଣସି କ୍ଷତି ହୋଇନଥିବା କୁହାଯାଇଥିବା ଦାବି କରି କଂଗ୍ରେସ ପ୍ରଶ୍ନ ଉଠାଇଛି।
କଂଗ୍ରେସ କହିଛି ଯେ, ପରବର୍ତ୍ତୀ ସମୟରେ ଜାତୀୟ ସମର ସ୍ମାରକରେ ୬ ଜଣ ବୀର ସୈନିକଙ୍କ ନାମ ସ୍ଥାନ ପାଇବା ପରେ ଘଟଣାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଏହାକୁ ନେଇ ପବନ ଖେରା କହିଛନ୍ତି, ଯଦି ପ୍ରତିରକ୍ଷାମନ୍ତ୍ରୀଙ୍କୁ ସୂଚନା ନଥିଲା, ତେବେ ଏହା ଗୁରୁତର ପ୍ରଶାସନିକ ପ୍ରଶ୍ନ। ଆଉ ଯଦି ସୂଚନା ଥିଲା, ତେବେ ସଂସଦରେ ଭୁଲ ତଥ୍ୟ ଦିଆଯାଇଥିବା ଅଭିଯୋଗ ଉଠିବ।
ଦଳର ଅଭିଯୋଗ ଅନୁସାରେ, କର୍ତ୍ତବ୍ୟ ପାଳନ ବେଳେ ପ୍ରାଣବଳି ଦେଇଥିବା ସୈନିକମାନଙ୍କୁ ଯଥୋଚିତ ସମ୍ମାନ ମିଳିବା ଉଚିତ୍ ଥିଲା। ସେମାନଙ୍କ ପରିବାର ମଧ୍ୟ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆଶା କରୁଥିଲେ ବୋଲି କଂଗ୍ରେସ କହିଛି।
ଉଲ୍ଲେଖଯୋଗ୍ୟ, ପହେଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସଶସ୍ତ୍ର ବାହିନୀ ପକ୍ଷରୁ 'ଅପରେସନ୍ ସିନ୍ଦୂର' ଅଧୀନରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଠିକଣାଗୁଡ଼ିକ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା।
