ଇସଲାମାବାଦ/କ୍ୱେଟା: ପାକିସ୍ତାନର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଶୁକ୍ରବାର ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଅତିକମରେ ୪୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୮ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଟି ବଲୁଚିସ୍ତାନ ଓ ଖାଇବର ପଖତୁନଖ୍ୱା ପ୍ରଦେଶ ସୀମା ନିକଟର ଏକ ପାହାଡ଼ିଆ ଅଞ୍ଚଳରେ ଘଟିଛି।
ପ୍ରାଥମିକ ସୂଚନା ଅନୁସାରେ, କ୍ୱେଟାରୁ ଇସଲାମାବାଦ ଅଭିମୁଖେ ଯାଉଥିବା ବସ୍ଟି ନିୟନ୍ତ୍ରଣ ହରାଇ ଏକ ଗଭୀର ଖାଇକୁ ଖସି ପଡ଼ିଥିଲା। ବସ୍ରେ ମୋଟ ୪୮ ଜଣ ଯାତ୍ରୀ ଥିବା ସୂଚନା ମିଳିଛି।
ସ୍ଥାନୀୟ ପ୍ରଶାସନ କହିଛି, ରାସ୍ତାରେ ଖରାପ ହୋଇଯାଇଥିବା ଅନ୍ୟ ଏକ ବସ୍ର କିଛି ଯାତ୍ରୀ ଏହି ବସ୍ରେ ଚଢ଼ିଥିବାରୁ ଗାଡ଼ିରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିଲେ। ଦୁର୍ଗମ ପାହାଡ଼ିଆ ରାସ୍ତାରେ ବସ୍ଟି ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଆଶଙ୍କା କରାଯାଉଛି।
ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଆହତମାନଙ୍କୁ ନିକଟସ୍ଥ ଟ୍ରମା ସେଣ୍ଟରକୁ ସ୍ଥାନାନ୍ତର କରିଛନ୍ତି। ଆହତମାନଙ୍କ ଚିକିତ୍ସା ଚାଲିଥିବା ବେଳେ ମୃତକଙ୍କ ପରିଚୟ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଛି।
ଏହି ଘଟଣାକୁ ନେଇ ପାକିସ୍ତାନର ରାଷ୍ଟ୍ରପତି ଓ ବଲୁଚିସ୍ତାନ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ସେମାନେ ଆହତମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପୁଲିସ ଓ ସ୍ଥାନୀୟ ପ୍ରଶାସନ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ପାକିସ୍ତାନର ପାହାଡ଼ିଆ ଅଞ୍ଚଳରେ ଖରାପ ସଡ଼କ ପରିସ୍ଥିତି ଓ ଅତ୍ୟଧିକ ଯାତ୍ରୀ ବହନ କାରଣରୁ ଏପରି ଦୁର୍ଘଟଣା ବାରମ୍ବାର ଘଟୁଥିବା ଦେଖାଯାଏ।