କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀଙ୍କ ପାଇଁ ଆସିଛି ଏକ ବଡ଼ ଖବର। ଅଷ୍ଟମ ବେତନ କମିଶନକୁ ନେଇ ବିଭିନ୍ନ କର୍ମଚାରୀ ସଂଗଠନ ନିଜ ନିଜ ପ୍ରସ୍ତାବ ଓ ଦାବି ଉପସ୍ଥାପନ କରିସାରିଛନ୍ତି। ଏବେ ଏହି ସମସ୍ତ ପ୍ରସ୍ତାବ ଉପରେ ବିସ୍ତୃତ ଭାବେ ବିଚାର କରାଯିବ।
କର୍ମଚାରୀ ସଂଗଠନମାନଙ୍କ ମତ ଅନୁଯାୟୀ, ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ, ଘରଭଡ଼ା, ପରିବହନ, ଡିଜିଟାଲ ସେବା ଏବଂ ପରିବାରିକ ଦାୟିତ୍ୱର ଖର୍ଚ୍ଚ ବହୁତ ବଢ଼ିଛି। ସେଥିପାଇଁ ନୂଆ ବେତନ ନିର୍ଦ୍ଧାରଣ ସମୟରେ ଏହି ସବୁ ଦିଗକୁ ଗୁରୁତ୍ୱ ଦେବାକୁ ଦାବି କରାଯାଇଛି।
ଅନ୍ୟପଟେ, ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି ପାଇଁ ମଧ୍ୟ ଦାବି ଜୋର ଧରିଛି। କିଛି ସଂଗଠନ ବର୍ତ୍ତମାନର ତୁଳନାରେ ଅଧିକ ଫିଟମେଣ୍ଟ ଫ୍ୟାକ୍ଟର ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି, ଯାହା ଫଳରେ କର୍ମଚାରୀଙ୍କ ମୂଳ ବେତନରେ ବଡ଼ ବୃଦ୍ଧି ହୋଇପାରେ।
ମହଙ୍ଗା ଭତ୍ତା ବା DA କୁ ନୂଆ ବେତନ ଗଠନରେ ସାମିଲ କରିବା ପାଇଁ ମଧ୍ୟ ଦାବି ଉଠିଛି। ଏହା ସହିତ ପେନ୍ସନ ବ୍ୟବସ୍ଥାକୁ ଆହୁରି ସୁରକ୍ଷିତ ଓ ଲାଭଦାୟକ କରିବା ଉପରେ ମଧ୍ୟ ଆଲୋଚନା ଚାଲିଛି।
ଆଗାମୀ ଦିନରେ କମିଶନ ବିଭିନ୍ନ ସଂଗଠନ ସହ ଆଲୋଚନା କରି ଚୂଡ଼ାନ୍ତ ସୁପାରିଶ ପ୍ରସ୍ତୁତ କରିବ। ତେଣୁ ଲକ୍ଷାଧିକ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀଙ୍କ ନଜର ଏବେ ଅଷ୍ଟମ ବେତନ କମିଶନର ପରବର୍ତ୍ତୀ ଘୋଷଣା ଉପରେ ରହିଛି।


