ଭୁବନେଶ୍ୱର: ରାଜ୍ୟର ସରକାରୀ ଡାକ୍ତରମାନଙ୍କ ସଂଗଠନ OMSA ପକ୍ଷରୁ ଜୁଲାଇ ୧ ତାରିଖରୁ ଆନ୍ଦୋଳନ ଆରମ୍ଭ କରିବାକୁ ଚେତାବନୀ ଦିଆଯାଇଛି। ସଂଗଠନର କହିବା ଅନୁଯାୟୀ, ଦୀର୍ଘଦିନ ଧରି ଉଠାଯାଇଥିବା ୧୦ ଦଫା ଦାବି ଉପରେ ସରକାରଙ୍କ ପକ୍ଷରୁ ଠୋସ ପଦକ୍ଷେପ ନିଆଯାଇନଥିବାରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।
ସଂଘର ଦାବିଗୁଡ଼ିକ ମଧ୍ୟରେ କ୍ୟାଡର ପୁନର୍ଗଠନ, ସ୍ୱଚ୍ଛ ବଦଳି ନୀତି, ଡାକ୍ତରଙ୍କ ସୁରକ୍ଷା, ବୀମା ସୁବିଧା ଓ ଅନ୍ୟାନ୍ୟ ପ୍ରଶାସନିକ ସୁଧାର ସାମିଲ ରହିଛି। ଏହି ପ୍ରସଙ୍ଗରେ ଅନେକଥର ଆଲୋଚନା ହୋଇଥିଲେ ମଧ୍ୟ ଆଶାନୁରୂପ ଫଳ ମିଳିନଥିବା ଅଭିଯୋଗ କରିଛି ସଂଘ।
ଏପରି ସ୍ଥିତିରେ ଜୁଲାଇ ୧ରୁ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲରେ ସେବା ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ସେହିପରି ମାଲକାନଗିରି ଜିଲ୍ଲାରେ ଜଣେ ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ସଂଘ ଆସନ୍ତା ବୁଧବାର OPD ସେବା ବନ୍ଦ ରଖିବାକୁ ମଧ୍ୟ ସୂଚନା ଦେଇଛି।
ଡାକ୍ତରଙ୍କ ଆନ୍ଦୋଳନ ଚେତାବନୀକୁ ନେଇ ଏବେ ରୋଗୀ ସେବା ଉପରେ ପ୍ରଭାବ ପଡ଼ିବା ନେଇ ଚିନ୍ତା ବଢ଼ିଛି।
